ସାକିବଙ୍କ ଅଭଦ୍ରାମୀ : ସକିବ ହରାଇଲେ ନିଜ ଉପରୁ ନିୟନ୍ତ୍ରଣ,ଷ୍ଟମ୍ପ ଉଖାଡି ଫିଙ୍ଗିଲେ ପଡିଆରେ,ଅମ୍ପାୟରଙ୍କ ସହ କଲେ…ଦେଖନ୍ତୁ ଭିଡିଓ

କ୍ରିକେଟ ପରି ଭଦ୍ର ଲୋକଙ୍କ ଖେଳରେ ଖେଳାଳିମାନଙ୍କର ଅଭଦ୍ର ଆଚରଣ ଦେଖିବାକୁ ମିଳୁଛି। ବାଂଲାଦେଶର ତାରକା ଅଲରାଉଣ୍ଡର ସାକିବ ଅଲ ହାସନ ଏହିପରି ଅଭଦ୍ରାମୀ ଆଚରଣ କରିଛନ୍ତି। ବୋଧହୁଏ କ୍ରିକେଟ ପଡିଆରେ ଦର୍ଶକ ଏମିତି ଅଶୋଭନୀୟ ବ୍ୟବହାରକୁ କେବେ ହେଲେ ଦେଖିନଥିବେ। ସାକିବ ଯେଉଁ ଭଳି କାର୍ଯ୍ୟ କରିଛନ୍ତି ତାହାକୁ କ୍ରିକେଟ ପ୍ରଶଂସକ ଦେଖି ହତବାକ।

କେବେ ଦେଶର କ୍ରିକେଟ ବୋର୍ଡ ସହ ବିବାଦ ତ ଆଉ କେବେ ଆଇସିସି ଦ୍ଵାରା ବାସନ୍ଦକୁ ନେଇ ସାକିବ ସବୁବେଳେ ଚର୍ଚ୍ଚାରେ ରହି ଆସିଛନ୍ତି। ବର୍ତ୍ତମାନ ପୁଣି ଥରେ ବିବାଦ ଘେରି ରହିଛନ୍ତି ଏହି ଅଲରାଉଣ୍ଡର ଖେଳାଳି। ଆଉ ଏହି ଘଟଣା ଘଟିଛି ଢାକା ପ୍ରିମିୟର ଲିଗରେ। ସାକିବ ଅମ୍ପାୟରଙ୍କ ନିଷ୍ପତ୍ତିରେ ବହୁତ ଅସନ୍ତୁଷ୍ଟ ଥିଲେ, ପଡିଆରେ ଥରେ ନୁହେଁ ସେ ଦୁଇ ଦୁଇ ଥର ନିଜ ଉପରୁ ନିୟନ୍ତ୍ରଣ ହରାଇ ବସିଥିଲେ। ପ୍ରଥମେ ସେ ଅମ୍ପାୟରଙ୍କ ସାମ୍ନାରେ ଗୋଇଠା ମାରି ତିନି ଷ୍ଟମ୍ପ ଉଖାଡି ଦେଇଥିଲେ। ପୁଣି ହାତରେ ତିନି ଷ୍ଟମ୍ପକୁ କାଢି ଫିଙ୍ଗି ଦେଇଥିଲେ। ଏହି ଘଟଣାର ଭିଡିଓ ବର୍ତ୍ତମାନ ଗଣମାଧ୍ୟମରେ ଖୁବ ଭାଇରାଲ ହେବାରେ ଲାଗିଛି।

ସକିବ ଢାକା ପ୍ରିମିୟର ଲିଗ(ଡିପିଏଲ)ର ୪୦ତମ ମୁକାବିଲାରେ ପଡିଆରେ ନିଜ ଉପରୁ ନିୟନ୍ତ୍ରଣ ହରାଇ ବସିଥିଲେ। ଏହି ମୁକାବିଲା ମୋହମଡମ ସ୍ପୋର୍ଟିଂ ଓ ଅବାହାମୀ ଲିମିଟେଡ କ୍ଲବ ମଧ୍ୟରେ ଢାକାର ସେର ଏ ବାଙ୍ଗଲା ଷ୍ଟାଡିୟମରେ ଖେଳାଯାଇଥିଲା। ପ୍ରଥମେ ବ୍ୟାଟିଂ କରି ମୋହମଡମ ସ୍ପୋର୍ଟିଂ ୨୦ ଓଭରରେ ୧୪୫ ରନ କରିଥିଲା। ସକିବ ୩୭ ରନ କରିଥିବା ବେଳେ ମହମୁଦୁଲ ହସନ ୨୨ ବଲରୁ ୩୦ ରନ କରିଥିଲେ। ଏହାର ଉତ୍ତରରେ ଆବାହାନୀ କ୍ଲବର ଆରମ୍ଭ ଆଦୌ ଭଲନଥିଲା। ତିନି ଓଭରରେ ଦଳ ୯ ରନ କରି ୩ଟି ୱିକେଟ ହରାଇଥିଲା।

ଅମ୍ପାୟରଙ୍କ ସାମ୍ନାରେ ଷ୍ଟମ୍ପ ଉଖାଡି ଫିଙ୍ଗିଲେ:-

ଏହା ପରେ ସକିବ ଅଲ ହସନ ବୋଲିଂ କରିବା ପାଇଁ ଆସିଥିଲେ। ତାଙ୍କର ଏକ ସିଧା ବଲ ମୁସଫିକର ରହିମଙ୍କ ପ୍ୟାଡରେ ଯାଇ ବାଜୁଥିଲା। ସେ ଏଲବିଡବ୍ଲ୍ୟୁ ପାଇଁ ଜୋରଦାର ଅପିଲ ମଧ୍ୟ କରିଥିଲେ। ମାତ୍ର ଅମ୍ପାୟର ତାଙ୍କର ଅପିଲକୁ ଅଣଦେଖା କରି ରହିମଙ୍କୁ ନଟଆଉଟ ଦେଇଥିଲେ। ଏଥିରେ ସକିବ ଅସନ୍ତୁଷ୍ଟ ହୋଇ, ଷ୍ଟମ୍ପକୁ ଗୋଇଠା ମାରିଥିଲେ। କେବଳ ଏତିକି ନୁହେଁ ଏହି ନିଷ୍ପତ୍ତିକୁ ନେଇ ସେ ଅମ୍ପାୟରଙ୍କ ସହ ଯୁକ୍ତିତର୍କ କରିଥିଲେ। କୌଣସି ପ୍ରକାରେ ସାଥୀ ଖେଳାଳିମାନେ ତାଙ୍କୁ ଶାନ୍ତ କରାଇଥିଲେ।

ଏହାର ପରବର୍ତ୍ତୀ ଓଭରରେ ସାକିବ ପୁଣି ଥରେ ନିଜ ଉପରୁ ନିୟନ୍ତ୍ରଣ ହରାଇ ବସିଥିଲେ। ଏଥର ସହ ଅମ୍ପାୟରଙ୍କ ପାଖକୁ ଦୌଡି ଯାଇ ତିନି ଷ୍ଟମ୍ପ ଉପାଡି ଫିଙ୍ଗି ଦେଇଥିଲେ। ତାଙ୍କର ଏହି ବ୍ୟବହାରକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ପଡିଥିଲେ।

ପଡିଆରେ ତାଙ୍କର ଏହି ଅଶୋଭନୀୟ ବ୍ୟବହାର ଗଣମାଧ୍ୟମରେ ଭାଇରାଲ ହୋଇଛି। ପ୍ରଶଂସକ ସକିବଙ୍କ ଏମିତି ବ୍ୟବହାର ଦେଖି ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଏବଂ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି। କିଛି ପ୍ରଶଂସକ ତାଙ୍କୁ ରାଗ ଉପରେ ନିୟନ୍ତ୍ରଣ ରଖିବା ପାଇଁ ପରାମର୍ଶ ଦେଇଛନ୍ତି। କାରଣ ସେ ନିକଟରେ ବାସନ୍ଦ ହୋଇଥିଲେ ଓ ସେଥିରୁ ଅନ୍ତର୍ଜାତୀୟ କ୍ରିକେଟକୁ ଫେରିଛନ୍ତି।

Leave a Reply

Your email address will not be published. Required fields are marked *