କରୋନା ପରେ ଚିନ୍ତା ବଢ଼ାଇଲା ଏହି ନୂଆଁ ଭୂତାଣୁ, ଦୁଇ ମଙ୍କିପକ୍ସ ସଂକ୍ରମିତ ଚିହ୍ନଟ, ଜାଣନ୍ତୁ ଏହି ରୋଗର ଲକ୍ଷଣ ବିଷୟରେ

କରୋନା ମହାମାରୀର ପ୍ରକୋପ ଜାରି ରହିଥିବା ବେଳେ ବର୍ତ୍ତମାନ ଅନ୍ୟ ଏକ ଭାଇରସ ଲୋକ ମାନଙ୍କ ପାଇଁ ଚିନ୍ତା ବଢ଼ାଇଛି। ବ୍ରିଟେନରେ ବର୍ତ୍ତମାନ ମଙ୍କିପକ୍ସ ବ୍ୟାପୁଛି। ମିଳିଥିବା ସୂଚନା ଅନୁସାରେ ଓ୍ବେଲ୍ସ ସହରରେ ଦୁଇଟି ମଙ୍କିପକ୍ସର ମାମଲା ସାମ୍ନାକୁ ଆସିଛି। ଯାହାକି କରୋନା ଭୟରେ ଥିବା ଲୋକମାନଙ୍କୁ ପୁଣି ଥରେ ଚିନ୍ତାରେ ପକାଇଦେଇଛି।

ଓ୍ବେଲ୍ସ ପବ୍ଲିକ ହେଲ୍ଥ ବିଭାଗ ତରଫରୁ କୁହାଯାଇଛିକି, ଦୁଇ ଜଣଙ୍କ ଶରୀରରେ ମଙ୍କିପକ୍ସର ଭୂତାଣୁ ଅଛି ବୋଲି ଜଣାଯାଇଛି। ଦୁଇ ଜଣ ଗୋଟିଏ ଘରେ ହିଁ ରୁହନ୍ତି। ସେମାନେ ବିଦେଶରେ ଥିବା ବେଳେ ସଂକ୍ରମିତ ହୋଇଥିଲେ ବୋଲି ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି। ଦକ୍ଷିଣ ଆଫ୍ରିକାରେ ମଙ୍କିପକ୍ସର ରୋଗ ଦେଖାଯାଏ। ଦୁଇ ସଂକ୍ରିମତଙ୍କୁ ଇଂଲଣ୍ଡର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ଜଣେ ଡିସଚାର୍ଜ ହୋଇଛନ୍ତି। ଅନ୍ୟ ଜଣେ ଚିକିତ୍ସାଧୀନ ଅଛନ୍ତି।

ଓ୍ବେଲ୍ସ ସ୍ବାସ୍ଥ୍ୟ ବିଭାଗର ପରାମର୍ଶଦାତା ରିଚାର୍ଡ ଫର୍ଥ କହିଛନ୍ତିଯେ, ବ୍ରିଟେନରେ ମଙ୍କିପକ୍ସ ସଂକ୍ରମିତ ଚିହ୍ନଟ ହେବା ଏକ ଦୁର୍ଲଭ ଘଟଣା ଅଟେ। କିନ୍ତୁ ଏଥିରେ ସାଧାରଣ ଲୋକେ ସଂକ୍ରମିତ ହେବାର ଆଶଙ୍କା ବହୁତ କ୍ଷିଣ ଅଟେ। ସଂକ୍ରମିତଙ୍କ ସମ୍ପର୍କୀୟଙ୍କୁ ଚିହ୍ନଟ କରାଯାଇଥିବାବେଳେ ଆଗକୁ ଏହି ଭୂତାଣୁ ଯେମିତି ଘାତକ ସାବ୍ୟସ୍ତ ନୁ ହେଉ ସେଥିପ୍ରତି ନଜର ରଖାଯାଇଛି ବୋଲି ରିଚାର୍ଡ କହିଛନ୍ତି। ମଙ୍କିପକ୍ସ ଭାଇରସ ପ୍ରାୟ ସ୍ମଲପକ୍ସ ଭାଇରସ ସହ ସମାନ ଅଟେ। କିନ୍ତୁ ଏହି ରୋଗ ଆଦୌ ଘାତକ ନୁହେଁ। ଏହା ସହ ଭୂତାଣୁ ଦ୍ବାରା ସଂକ୍ରମଣର ଆଶଙ୍କା ବହୁତ କମ ବୋଲି ବିଶେଷଜ୍ଞମାନେ କହିଛନ୍ତି। ଏହି ମଙ୍କିପକ୍ସ ଭାଇରସରେ ଦୁଇଟି ମୁଖ୍ୟ ପ୍ରକାର ରହିଛି- ମଧ୍ୟ ଆଫ୍ରିକୀ ଏବଂ ପଶ୍ଚିମ ଆଫ୍ରିକୀ।

ମଙ୍କିପକ୍ସର ଲକ୍ଷଣ-

ମଙ୍କିପକ୍ସ ହେଲେ ଜ୍ବର, ମୁଣ୍ଡବ୍ୟଥା, ଅଣ୍ଟା ବ୍ୟଥା, ମାଂଶପେଶୀରେ କଷ୍ଟ ହୁଏ ଓ ଦେହ ହାତ ମଧ୍ୟ ଫୁଲିଯିବ। ଶରୀରରେ ଦାନା ଭଳି ଆକୃତି ହୋଇଯାଏ। ଜ୍ବର ହେବା ମାତ୍ରେ ଶରୀରରେ ଦାନା ଆକୃତି ପଡ଼ିବା ଆରମ୍ଭ ହୋଇଯାଏ। ପ୍ରଥମେ ମୁହଁରେ ଏବଂ ପରେ ଏହି ଚିହ୍ନ ଶରୀରର ଅନ୍ୟ ଅଂଶକୁ ବ୍ୟାପିଯାଏ। ଏହି ଭାଇରସ ଶରୀରରେ ୧୪ ରୁ ୨୧ ଦିନ ପର୍ଯ୍ଯନ୍ତ ରହିଥାଏ।

Leave a Reply

Your email address will not be published. Required fields are marked *