ପିପିଲି ନିର୍ବାଚନ ପାଇଁ ହେଲା ସାନି ତାରିଖ ଘୋଷଣା, ମେ ୧୩ ତାରିଖରେ ହେବ ମତଦାନ

ପିପିଲି ଉପନିର୍ବାଚନ ପାଇଁ ସାନି ତାରିଖ ଘୋଷଣା କରାଯାଇଛି। ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ସାନି ତାରିଖ ଘୋଷଣା କରାଯାଇଛି। ମେ’ ୧୩ ତାରିଖରେ ପିପିଲିରେ ନିର୍ବାଚନ ହେବ। ଏପ୍ରିଲ ୨୬ ତାରିଖ ସୁଦ୍ଧା କଂଗ୍ରେସର ପ୍ରାର୍ଥୀ ନାମାଙ୍କନ ପୂରଣ କରିବେ। ୨୭ ତାରିଖରେ ସ୍କୃଟିନି ହେବ, ତାପରେ ୨୯ ତାରିଖ ସୁଦ୍ଧା ନାମାଙ୍କନ ପତ୍ର ପ୍ରତ୍ୟାହାର କରିବେ। ତା’ପରେ ମେ’ ୧୩ ତାରିଖରେ ନିର୍ବାଚନ ହେବ ଓ ୧୮ ତାରିଖ ସୁଦ୍ଧା ଏହି ସମସ୍ତ ପ୍ରକ୍ରିୟା ସମାପ୍ତ ହେବ। ତେବେ, ମେ’ ୧୮ ତାରିଖ ପୂର୍ବରୁ କେବେ ଭୋଟ ଗଣତି କରାଯିବ ସେ ବିଷୟରେ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ ପରେ ସୂଚନା ଦେବେ ବୋଲି କହିଛନ୍ତି।

ପିପିଲିର ବିଧାୟକ ପ୍ରଦୀପ ମହାରଥୀଙ୍କ ମୃତ୍ୟୁ ପରେ ଉପନିର୍ବାଚନ କରାଯାଇଥିଲା। ମତଦାନକୁ ମାତ୍ର ୩ ଦିନ ଥିବାବେଳେ ଉପନିର୍ବାଚନର କଂଗ୍ରେସର ପ୍ରାର୍ଥୀ ହୋଇଥିବା ଅଜିତ ମଙ୍ଗରାଜ କୋଭିଡରେ ସଂକ୍ରମିତ ହୋଇ ପ୍ରାଣ ହରାଇଥିଲେ। ଫଳରେ ରିଟର୍ଣ୍ଣିଂ ଅଫିସର ଉପନିର୍ବାଚନକୁ ସ୍ଥଗିତ ରଖିଥିଲେ। ଏ ସମ୍ବନ୍ଧରେ ନିର୍ବାଚନ ଆୟୋଗଙ୍କୁ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ ଅବଗତ କରାଇଥିଲେ।

ଉପନିର୍ବାଚନ ସ୍ଥଗିତ ଥିବା ବେଳେ ପୂର୍ବ ନିର୍ଦ୍ଧାରିତ ନିର୍ବାଚନ ତାରିଖରେ ନୂଆ ମତଦାନ ତାରିଖ ଘୋଷଣା କରାଯାଇଛି। ବିଜେଡି ତରଫରୁ ସ୍ଵର୍ଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ମହାରଥୀ ଲଢ଼ୁଥିବା ବେଳେ ବିଜେପି ତରଫରୁ ଆଶ୍ରିତ ପଟ୍ଟନାୟକ ଲଢୁଛନ୍ତି। ବର୍ତ୍ତମାନ କଂଗ୍ରେସ ପୁଣିଥରେ ପ୍ରାର୍ଥୀ ଦେବ। ତେବେ କିଏ ହେବେ କଂଗ୍ରେସର ନୂଆ ପ୍ରାର୍ଥୀ। ସେ ସମ୍ବନ୍ଧରେ ଦଳ କୌଣସି ନିଷ୍ପତ୍ତି ନେଇ ନଥିବା ବେଳେ ଦିବଙ୍ଗତ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ପତ୍ନୀ ବନ୍ଦନକୁ ଦଳ ଟିକେଟ ଦେଇପାରେ ବୋଲି ଚର୍ଚ୍ଚା ହେଉଅଛି।

Leave a Reply

Your email address will not be published. Required fields are marked *