ଜୀବନ ଯୁଦ୍ଧରେ ହାରିଗଲେ କରୋନା ଯୋଦ୍ଧା, ଚିକିତ୍ସା ଅଭାବରୁ ଆଖିବୁଜିଲେ ଆମ ଓଡ଼ିଶାର ଡାକ୍ତର

କରୋନା ପରି ମହାମାରୀ ପାଇଁ ଆଗଧାଡିର ଯୋଦ୍ଧା ଥିଲେ ଡାକ୍ତର। ଲୋକଙ୍କୁ ସଚେତନ ଓ ଚିକିତ୍ସା କରିବା ପାଇଁ ନିଜ ଜୀବନକୁ ବାଜି ଲଗାଇ ଦେଇଥିଲେ ଡାକ୍ତର। ଡ. ଦିଲ୍ଲୀପ ଷଡ଼ଙ୍ଗୀ ନିରଳ ସ୍ୱାସ୍ଥ୍ୟସେବା ପ୍ରଦାନ କରୁଥିଲେ। କରୋନା ଯୋଦ୍ଧା ଭାବରେ ପ୍ରଥମ ପର୍ଯ୍ୟାୟରେ ଦୁଇଟିଯାକ ଡୋଜର ଟିକା ନେଇଥିଲେ। କିନ୍ତୁ ଟିକା ନେବାର ପ୍ରାୟ ଦୁଇମାସ ପରେ କରୋନାର ଆକ୍ରାନ୍ତ ହୋଇଥିଲେ ଦିଲ୍ଲୀପ। ଅନ୍ୟକୁ ଚିକିତ୍ସା କରୁଥିବା ଡାକ୍ତର ନିଜେ ଯେତେବେଳେ ଏହି ଭୂତାଣୁ ଦ୍ବାରା ସଂକ୍ରମିତ ହୋଇଥିଲେ, ସେତେବେଳେ ତାଙ୍କୁ ଉପଯୁକ୍ତ ଚିକିତ୍ସା ସେବା ମଧ୍ୟ ମିଳିପାରିଲା ନାହିଁ। ଡା. ଷଡ଼ଙ୍ଗୀ ସଂକ୍ରମଣର ୫ଦିନ ମଧ୍ୟରେ ଆଖିବୁଜି ଦେଇଛନ୍ତି।

କରୋନା ଦ୍ବିତୀୟ ଲହର ଆରମ୍ଭ ହେବା ପରଠାରୁ ବଲାଙ୍ଗିରରେ ବର୍ତ୍ତମାନ ପର୍ଯ୍ୟନ୍ତ କୋଭିଡ଼ ହସ୍ପିଟାଲ ପୁନଃ କାର୍ଯ୍ୟକ୍ଷମ ହୋଇ ପାରୁନାହିଁ । ତେଣୁ ସେ କୋଭିଡ଼ ପଜିଟିଭ ବୋଲି ଜଣାପଡ଼ିବା ପରେ ସ୍ୱାସ୍ଥ୍ୟ ବିଭାଗ ତରଫରୁ ତାଙ୍କୁ ହୋମ ଆଇସୋଲେସନରେ ରହିବା ପାଇଁ କୁହାଯାଇଥିଲା। ଘରେ ୪ ଦିନ ରହିବାପରେ ପରେ ସେ ଅସୁସ୍ଥ ଅନୁଭବ କରିବାରୁ ଶୁକ୍ରବାର ଦିନ ଅପରାହ୍ନରେ ବରଗଡ଼ସ୍ଥିତ ଏକ ଘରୋଇ ହସ୍ପିଟାଲକୁ ନେଇ ଯାଇଥିଲେ। ମାତ୍ର ସେଠାରେ ଆଇସିୟୁ, ଭେଣ୍ଟିଲେଟର କିମ୍ବା ଅକ୍ସିଜେନ କିଛି ବି ମିଳି ନଥିଲା। ସେଠାରୁ ବିନା ଚିକିତ୍ସାରେ ତାଙ୍କୁ ଫେରାଇ ଦିଆ ଯାଇଥିଲା। ଏହାପରେ ଭୁବନେଶ୍ୱରରେ ଥିବା ଏକ ଘରୋଇ ହସ୍ପିଟାଲକୁ ନେଇଯାଉଥିବା ସମୟରେ ବୌଦ୍ଧଠାରେ ତାଙ୍କର ପ୍ରାଣବାୟୁ ଉଡିଯାଇଥିଲା।

ବଲାଙ୍ଗିର ସାଗରପଡ଼ା ବାସିନ୍ଦା ଡ. ଷଡଙ୍ଗୀ ନିଜ ଚାକିରି କାଳରେ ସବୁ ସମୟ ଦୁର୍ଗମ ଅଞ୍ଚଳରେ ବିତାଇଛନ୍ତି। ବଲାଙ୍ଗିର, କଳାହାଣ୍ଡି ଓ ସୁବର୍ଣ୍ଣପୁର ଜିଲ୍ଲାର ଭିନ୍ନ ଭିନ୍ନ ଅଞ୍ଚଳରେ ରୋଗୀ ସେବାକରି ଚର୍ଚ୍ଚାରେ ଥିଲେ। ୧୯୮୧ ମସିହାରେ ସ୍ଥାନୀୟ ପୃଥ୍ୱୀରାଜ ହାଇସ୍କୁଲରୁ ମାଟ୍ରିକ ପାସ କରିବା ପରେ ରାଜେନ୍ଦ୍ର ମହାବିଦ୍ୟାଳୟରେ ପାଠ ପଢ଼ିଥିଲେ। ପରେ ବଲାଙ୍ଗିର ଆୟୁର୍ବେଦ ମହାବିଦ୍ୟାଳୟରୁ ୧୯୮୮ ମସିହାରେ ବିଏଏମଏସ ଡିଗ୍ରୀ ହାସଲ କରିଥିଲେ। ୨୦୦୦ ମସିହାରେ କଳାହାଣ୍ଡି ଜିଲ୍ଲାର ଏମ.ରାମପୁର ବ୍ଲକ ଅନ୍ତର୍ଗତ ଦୁର୍ଗମ ଉର୍ଲାଦାନୀରେ ସେ ପ୍ରଥମଥର ପାଇଁ ପୋଷ୍ଟିଂ ହୋଇଥିଲେ। ଜଣେ ଭିନ୍ନକ୍ଷମ ହୋଇଥିଲେ ମଧ୍ୟ ନିଜର ସୁବିଧା ପାଇଁ ସେ କେବେବି ମଧ୍ୟ ସହରକୁ ଆସିବାକୁ ଚାହିଁନଥିଲେ। ବରଂ ଉର୍ଲାଦାନୀରେ ରହି ଚିକିତ୍ସା କରି ଆସୁଥିଲେ।

୨୦୧୫ ମସିହାରେ ତାଙ୍କର ଟ୍ରାନ୍ସଫର କଥା ଉଠିବାରୁ ସେ ପୁଣି ମଫସଲ ଯିବାକୁ ପସନ୍ଦ କରିଥିଲେ। ତାଙ୍କୁ ସୁବର୍ଣ୍ଣପୁର ଜିଲ୍ଲାର ସାଗରପାଲି ସ୍ୱାସ୍ଥ୍ୟକେନ୍ଦ୍ରରେ ନିଯୁକ୍ତି ମିଳିଥିଲା। ସେଠାରେ ୫ବର୍ଷ ରହିବା ପରେ ଗତ ସେପ୍ଟେମ୍ବର ମାସରେ ତାଙ୍କର ଟ୍ରାନ୍ସଫର ହୋଇଥିଲା, ଲୋଇସିଂହା ବ୍ଲକର ରାକ୍ସିମୁଣ୍ଡା ସ୍ୱାସ୍ଥ୍ୟକେନ୍ଦ୍ରରେ ତାଙ୍କର ନିଯୁକ୍ତି ହୋଇଥିଲା। ପରିବାରରେ ତାଙ୍କ ସ୍ତ୍ରୀଙ୍କ ସହିତ ଦୁଇଜଣ ଝିଅ ଅଛନ୍ତି। ଭୁବନେଶ୍ୱର ଯାଉଥିବା ବାଟରେ ମୃତ୍ୟୁ ଘଟିବାରୁ ବୌଦ୍ଧ ପାଖରୁ ତାଙ୍କୁ ଫେରାଇ ଅଣାଯାଇଥିଲା। ଖବରପାଇ ଭୁବନେଶ୍ୱରରେ ପଢ଼ୁଥିବା ତାଙ୍କର ବଡ଼ ଝିଅ ଆସିବା ପରେ ରାତି ପ୍ରାୟ ୧୦.୩୦ ସମୟରେ ସ୍ଥାନୀୟ ଟିଟିଲାଗଡ଼ ରୋଡ଼ସ୍ଥିତ ସ୍ୱର୍ଗଦ୍ୱାରରେ ତାଙ୍କର ଦାହ ସଂସ୍କାର କରାଯାଇଛି। ବଡ଼ ଝିଅ ଶିଖା ସ୍ମରଣିକା ତାଙ୍କ ବାପାଙ୍କର ମୁଖାଗ୍ନି ଦେଇଥିଲେ। ଡ. ଷଡ଼ଙ୍ଗୀଙ୍କ ବିୟୋଗରେ ସାରା ଅଞ୍ଚଳରେ ଏକ ଶୋକର ଛାୟା ଖେଳିଯାଇଛି।

Leave a Reply

Your email address will not be published. Required fields are marked *