ଏବର୍ଷ ଓଡ଼ିଶାରେ ହେବ ଭୀଷଣ ତାତି, ଜାଣନ୍ତୁ କଣ କହୁଛନ୍ତି ପାଣିପାଗ ବିଭାଗ

କରୋନା ମହାମାରୀରେ ସାରା ରାଜ୍ୟରେ ଭୟ ରହିଥିବା ସମୟରେ ଆଭାସ ଦେଲାଣି ପାଣିପାଗ ବିଭାଗ। ଏ ବର୍ଷ ତାତିରୁ ବଞ୍ଚିହେବନାହିଁ। ଭୀଷଣ ଗ୍ରୀଷ୍ମ ଅନୁଭବ କରିବ ଓଡ଼ିଶା। ଏମିତି କିଛି ତଥ୍ୟ ଦେଇଛନ୍ତି, ପାଣିପାଗ ବିଶେଷଜ୍ଞ।

୨୦୨୧ରେ ଓଡ଼ିଶାରେ ହେବ ସାଙ୍ଘାତିକ ଗ୍ରୀଷ୍ମ। ଏହି ବିଷୟରେ ଜାନୁଆରୀରୁ ସୂଚନା ଦେଲେଣି ପାଣିପାଗ ବିଭାଗର ବିଶେଷଜ୍ଞ। ୧୯୫୮ ମସିହା ପରେ ଚଳିତବର୍ଷ ଜାନୁଆରୀ ଥିଲା ଭାରତ ପାଇଁ ସବୁଠାରୁ ଉତ୍ତପ୍ତ। ଏ ବର୍ଷ ଜାନୁଆରୀ ମାସରେ ଦେଶରେ ଯେତିକି ରହିବା କଥା ସର୍ବନିମ୍ନ ତାପମାତ୍ରା ତା’ଠାରୁ ୧.୦୯ ଡିଗ୍ରୀ ଅଧିକ ରହିଥିଲା। ବିଶେଷଜ୍ଞଙ୍କ କହିବା ଅନୁସାରେ, ସବୁଠାରୁ ଅଧିକ ଗରମ କେନ୍ଦ୍ରୀୟ ଭାରତରେ ଦେଖାଯିବ। କେନ୍ଦ୍ରୀୟ ଭାରତରେ ସର୍ବନିମ୍ନ ତାପମାତ୍ରା ଠାରୁ ୧.୨୫ ଡିଗ୍ରୀ ତାପମାତ୍ରା ଅଧିକ ରହିଥିଲା। ୧୨୦ ବର୍ଷର ଜାନୁଆରୀ ରେକର୍ଡ ଅନୁସାରେ, ୨୦୨୧ ମସିହା ଜାନୁଆରି ମାସ ଭାରତ ପାଇଁ ଉତ୍ତପ୍ତ ବର୍ଷ।

Google

କୃଷି ପାଣିପାଗ ବିଶେଷଜ୍ଞ ଡ଼କ୍ଟର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ୨୦୨୧ ମସିହା ସାରା ବିଶ୍ଵ ପାଇଁ ଉତ୍ତପ୍ତ ବର୍ଷ ହେବ। ଏହି ବର୍ଷ ଫେବୃଆରୀ ମାସରୁ ହିଁ ଗରମ ବଢିଯିବ। ଏହି ବର୍ଷ ସାମୁଦ୍ରିକ ପବନ ଠାରୁ ପଶ୍ଚିମ ପଟୁ ବହୁଥିବା ଗରମ ପବନ ଅଧିକ ଶକ୍ତିଶାଳୀ ହେବ ବୋଲି ଆଶଙ୍କା କରାଯାଉଛି। ଏହି ତତଲା ପବନ ସାରା ରାଜ୍ୟକୁ ଉତ୍ତପ୍ତ କରି ରଖିବ। ଆଉ ଚଳିତବର୍ଷ ଖରା ଦିନ ଶୀଘ୍ର ଆସିବା ସହିତ ଅଧିକ ଦିନ ପର୍ଯ୍ୟନ୍ତ ରହିବ। ଓଡ଼ିଶା ସହିଥିବା ୧୦ଟି ସର୍ବାଧିକ ଉତ୍ତପ୍ତ ବର୍ଷ ରେକର୍ଡରେ ଯୋଡ଼ି ହୋଇଯିବ।

ବିଭିନ୍ନ ପ୍ରକାରର ମଡେଲ ବିଶ୍ଳେଷଣରୁ ଅନୁମାନ କରାଯାଉଛି ଯେ, ଆସନ୍ତା ୧୩ ତାରିଖରୁ ୧୫ ତାରିଖ ମଧ୍ୟରେ ଅନେକ ଜାଗାର ତାପମାତ୍ରା ୩୩ ଡିଗ୍ରୀ ସେଲସିୟସ ରହିପାରେ। ଚଳିତମାସର ଶେଷ ସପ୍ତାହ ସମୟରେ ଅଧିକ ଗରମ ବୃଦ୍ଧି ପାଇପାରେ। ଭୁବନେଶ୍ୱର ସହିତ ଅନ୍ୟ କିଛି ସ୍ଥାନରେ ତାପମାତ୍ରା ୩୭-୩୮ ଡିଗ୍ରୀ ପର୍ଯ୍ୟନ୍ତ ବଢିପାରେ ବୋଲି ଆଶଙ୍କା କରାଯାଉଛି। ଗୋଟିଏ ଦୁଇଟି ସ୍ଥାନରେ ୩୮ ଡିଗ୍ରୀ ସେଲସିୟସରୁ ବୃଦ୍ଧି ପାଇପାରେ।

ବିଶେଷଜ୍ଞ ଡ଼କ୍ଟର ସୁରେନ୍ଦ୍ରନାଥ ପଶୁପାଳକଙ୍କ ଅନୁସାରେ, ଏ ବର୍ଷ ଏପ୍ରିଲ ମାସର ପ୍ରଥମ ସପ୍ତାହରୁ ପଶ୍ଚିମଓଡ଼ିଶାରେ ତାପମାତ୍ରା ୪୦ ଡିଗ୍ରୀ ବୃଦ୍ଧି କରିବ। ଏଲ-ନିନୋ ପ୍ରଭାବ ରହୁନଥିଲେ ମଧ୍ୟ ମେ ମାସରେ ଭୀଷଣ ଗରମ ହେବାର ଅନୁମାନ କରାଯାଉଛି।

Google

ବିଶେଷଜ୍ଞ ଡ଼କ୍ଟର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଉତ୍ତର-ପଶ୍ଚିମ ଦିଗରୁ ଓଡ଼ିଶାକୁ ଗରମ ପବନ ବୋହିବା ସହିତ ଓଡ଼ିଶାରେ ଭୀଷଣ ତାଟି ଦେଖାଯିବ। ପ୍ରଥମତଃ ସୁନ୍ଦରଗଡ,ଝାରସୁଗୁଡ଼ା ସହିତ ଉତ୍ତର-ପଶ୍ଚିମ ଓଡ଼ିଶାରେ ଭୀଷଣ ଗରମ ହେବ। ଆଉ ଏହାର ଦୁଇ ଦିନ ପରେ କଳାହାଣ୍ଡି,ବଲାଙ୍ଗୀର,ସୋନପୁରରେ ଗରମ ଅନୁଭୂତ ହେବ। ଆଉ ପରେ ଅନୁଗୁଳ,ବୌଦ୍ଧ,କନ୍ଧମାଳରେ ଭୀଷଣ ଗରମ ଦେଖାଯିବ। ଚଳିତବର୍ଷ ଭୁବନେଶ୍ୱର ସହିତ ଉପକୂଳ ଓଡ଼ିଶାରେ ଗରମର ପ୍ରକୋପ ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି।

ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁଙ୍କ କହିବା ଅନୁସାରେ, ଆସନ୍ତା ୧୯ ତାରିଖ କିମ୍ବା ୨୦ ତାରିଖ ବେଳକୁ ରାଜ୍ୟରେ ଗରମ ହୋଇପାରେ। ଦିନ ସମୟରେ ତାପମାତ୍ରା ୩୫ ଡିଗ୍ରୀରୁ ୩୬ ଡିଗ୍ରୀ ସେଲସିୟସ ରହିବ ବୋଲି ଆଶଙ୍କା କରାଯାଉଛି। ଭୁବନେଶ୍ୱରରେ ଚଳିତମାସର ଶେଷ ସପ୍ତାହ ବେଳକୁ ଦିନ ସମୟର ତାପମାତ୍ରା ୩୬ରୁ ୩୭ ଡିଗ୍ରୀ ରହିବ।

ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଅନୁସାରେ, ଆସନ୍ତା ୧୨ ତାରିଖରୁ ଓଡ଼ିଶାରେ ତାପମାତ୍ରା ବୃଦ୍ଧି ପାଇବ। ଆଉ ୧୯ ତାରିଖରୁ ଓଡ଼ିଶାରେ ତାପମାତ୍ରା ଅଧିକ ମାତ୍ରାରେ ବୃଦ୍ଧି ପାଇବ। ପ୍ରାୟ ଅଞ୍ଚଳରେ ଦିନ ସମୟରେ ତାପମାତ୍ରା ୩୨ ଡିଗ୍ରୀ ସେଲସିୟସ ରହିବ ଏବଂ ଅନ୍ୟ କିଛି ଅଞ୍ଚଳରେ ସ୍ଵାଭାବିକ ତାପମାତ୍ରା ଠାରୁ ୨-୩ ଡିଗ୍ରୀ ସେଲସିୟସ ଅଧିକ ରହିବ।

Leave a Reply

Your email address will not be published. Required fields are marked *